Unknown

 

 

 

 

 

 

 

 

 

 

ଜୀବନ ଚଉତିଶା

ଚତୁର୍ଭୁଜ ପଟ୍ଟନାୟକ

 

(ରାଗ-କେଦାର କାମୋଦୀ)

 

(କବି ଊନବିଂଶ ଶତାବ୍ଦୀର । ବାଲେଶ୍ଵରଠାରେ ତାଙ୍କର ଜନ୍ମ । ସେ କେତେକ ଆଧ୍ୟାତ୍ମିକ ତଥା ଭକ୍ତିମୂଳକ ଗୀତ, ଚଉତିଶା ରଚନା କରିଯାଇଛନ୍ତି । କବିଙ୍କ ଜୀବନ ଚଉତିଶା' ଜୀବନଦର୍ଶନ ସମ୍ବଳିତ ଏକ ଚଉତିଶା । ଜୀବନ ଅନିତ୍ୟ, ଅଳିକ । ମନୁଷ୍ୟ ଏଇଠି ଅହରହ ପାପ, ମୋହର ଆସକ୍ତିରେ ଘାଣ୍ଟି ହେଉଛି । ତା’ ହୃଦୟରେ ଧର୍ମର ଭାବ ନାହିଁ । ଐକ୍ୟଭାବ ଅନ୍ତରରୁ ଦୂର ହୋଇଯାଇଛି । ଔଦ୍ଧତ୍ୟ ଭାବ ମନରେ ବଢ଼ିଯାଇଛି । ଏ ମିଛ ମାୟାର ସଂସାରରୁ ଉଦ୍ଧାର ପାଇବାକୁ ହେଲେ ଭଗବାନଙ୍କ ଶରଣାପନ୍ନ ହେବାକୁ ହେବ । ଚଉତିଶାର ଭାଷା ସରଳ, ବୋଧଗମ୍ୟ । ଅନ୍ୟ ଚଉତିଶାରେ ୩୪ଟି ପଦ ଥିବା ବେଳେ ଏଥିରେ ୩୮ଟି ପଦ ରହିଛି ।)

 

(ପୂର୍ବଖଣ୍ଡ)

 

ଅକାରଣରେ ଜନ୍ମ ହେଲି ସଂସାରେ,

ଅବୋଧ ପ୍ରାୟ ହରି ନ ଭଜି ବାରେ ରେ,

ଅକାତରେ ଦିବସ ଜପୁଣ ଥିଲି

ଅଜ୍ଞାନ ଅନ୍ଧକାରେ ଦୁଃଖ ପାଇଲି ରେ ।୧।

 

ଆଶାଲତା ମରଣ ହେଲା ଜୀବନେ

ଆତ୍ମାଜ୍ଞାନ ଉଦୟ ନୋହିଲା ମନେ ରେ,

 

 

ଅଇଲା ନିଭି ମୋର ଜୀବନ-ବତୀ

ଆସିଲେ ନାହିଁ କେହି ମୋହର କତି ରେ ।୨।

 

ଇନ୍ଦ୍ରିୟ ସୁଖ ଭୋଗେ ଜୀବନ ଗଲା,

ଇଚ୍ଛା କାମନା ବହୁ ମନେ ନ ମଲା ଯେ,

ଈଶ ନାମ ନୋହିଲା ମୁଖୁ ବାହାର

ଇହଲୋକ ଲଭିଲି ନାହିଁ ଉଦ୍ଧାର ଯେ ।୩।

 

ଉଠିଲା ନାହିଁ ମନେ ବିଭୁ-ଭଜନ

ଉଇଁଲା ନାହିଁ ହୃଦେ ପୁଣ୍ୟ ତପନ ରେ,

ଉଦ୍ଧାର ହେବି କେବେ ନାହିଁ ଭାବନା

ଊର୍ଜବିହୀନ ମନ ବଢ଼େ ଯାତନା ଯେ ।୪।

 

ଋଜୁଭାବ ଉଦୟ ନାହିଁ ଜୀବନେ

ଋକ୍ଷ ପ୍ରାୟକ ବୁଲେଁ ସଂସାରବନେ ରେ,

ଋଷି ସାଧକ ସଙ୍ଗେ ନ ବଳେ ମନ

ଋଷି ଲଭିବ କାହୁଁ ପୁଣ୍ୟ ରତନ ରେ ।୫।

 

ଏକା ଏକା ହୋଇ ମୁଁ ଭ୍ରମେ ଲୋକରେ

ଏକ ଧର୍ମର ଭାବ ନାହିଁ ହୃଦରେ ରେ,

 

 

ଏଣେତେଣେ ବୁଲିଣ ହୋଇଛି ଥକା

ଏବେ ନ ପଶେ ହୃଦେ କାହିଁକି ଦକା ରେ ।୬।

 

ଐହିକ ସୁଖେ ରତ ହୋଇଲା ମନ

ଐରି ହୋଇଲେ ଯେତେ ସାଧୁ ସଜ୍ଜନ ରେ,

ଐକ୍ୟଭାବ ହୃଦରୁ ହେଲା ଅନ୍ତର

ଐନ୍ଦ୍ରଜାଲ କ୍ରିୟାରେ ମୃତ୍ୟୁ ସତ୍ୱର ରେ ।୭।

 

ଭାବାର୍ଥ-(୧-୭) ସଂସାରର ଅନିତ୍ୟତା, ଅସାରତା ସମ୍ପର୍କରେ ସୂଚାଇ କବି କହିଛନ୍ତି, ନିଜକୁ ନିଜେ ପ୍ରଶ୍ନ କରିଛନ୍ତି-ଏ ସଂସାରରେ ମୁଁ କାହିଁକି ଅକାରଣରେ ଜନ୍ମ ହେଲି ? ଅବୋଧ ପ୍ରାୟ ହୋଇ ଦିନେ ହେଲେ ହରିଙ୍କ ନାମକୁ ଭଜିଲି ନାହିଁ । ଅକାରଣରେ ଦିନ କାଟୁଥିଲି । ଏବେ ଅଜ୍ଞାନ ଅନ୍ଧକାର ମଧ୍ୟରେ ବୁଡ଼ି ରହି ଜୀବନ ବିତାଉଛି । ଜୀବନରେ ଦିନକୁ ଦିନ ଆଶା ବଢ଼ିଲା, ସେଇଆ ହିଁ ମୃତ୍ୟୁର କାରଣ ହେଲା । ମନ ମଧ୍ୟରେ ଆତ୍ମଜ୍ଞାନ ଉଦୟ ହେଲା ନାହିଁ । ମୋର ଜୀବନବତ ଲିଭି ଆସିଲାଣି । ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନ କେହି ହେଲେ ମୋ ପାଖକୁ ଆସୁନାହାନ୍ତି । ଜୀବନ କାଳ ମଧ୍ୟରେ କୌଣସି ଭଲ କାର୍ଯ୍ୟ କରିପାରିଲି ନାହିଁ । ଇନ୍ଦ୍ରିୟ ସୁଖ ଭୋଗରେ ଜୀବନ ବିତିଗଲା-। ମନ ଭିତରୁ ଇଚ୍ଛା, କାମନା ଦିନେ ହେଲେ ଗଲାନାହିଁ । ଈଶ୍ୱରଙ୍କ ନାମକୁ ତୁଣ୍ଡରେ କେବେ ହେଲେ ଧରିଲି ନାହିଁ । ଇହ ଲୋକରୁ ଉଦ୍ଧାର ହୋଇପାରିଲି ନାହିଁ । ପ୍ରଭୁଙ୍କ ଭଜନ ଦିନେ ହେଲେ ମନକୁ ଆସିଲା ନାହିଁ । ହୃଦୟ ଆକାଶରେ ଦିନେ ମଧ୍ୟ ପୁଣ୍ୟ ସୂର୍ଯ୍ୟ ଉଦୟ ହେଲା ନାହିଁ । କେବେ ଏ ସଂସାରରୁ ଉଦ୍ଧାର ପାଇବି ଭାବି ପାରୁ ନାହିଁ । ଊର୍ଜ (ତେଜ) ବିହୀନ ମନ ମଧ୍ୟରେ ବେଳକୁ ବେଳ ଯାତନା ବଢୁଛି ।

 

ଜୀବନରେ ରଜୁ (ସରଳ) ଭାବ ଉଦୟ ହେଲା ନାହିଁ । ସଂସାର ବନ ମଧ୍ୟରେ ଭାଲୁପ୍ରାୟ ବୁଲୁଛି । ଋଷି, ମୁନି, ସାଧକଙ୍କ ସଙ୍ଗରେ ମିଶିବାକୁ ମନ ବଳିଲା ନାହିଁ । ଋଷି (ସୌଭାଗ୍ୟ) କୁଆଡ଼ୁ ଆସିବ ? ପୁଣ୍ୟରତ୍ନ କେଉଁଠୁ ପ୍ରାପ୍ତ ହେବ ? ସଂସାରରେ ମୁଁ ସମ୍ପୂର୍ଣ୍ଣ ଏକା ହୋଇ ବୁଲୁଛି । ଧର୍ମଭାବନା ହୃଦୟ ମଧ୍ୟରେ ନାହିଁ । ଏଣେତେଣେ ବୁଲିବୁଲି କ୍ଲାନ୍ତ ହୋଇ ପଡ଼ିଛି । ଏବେ ହୃଦୟ ମଧ୍ୟରେ ଦକା କାହିଁକି ପଶୁନାହିଁ, ମୁଁ ଜାଣିପାରୁନି । ଐହିକ ( ପାର୍ଥିବ) ସୁଖରେ ମନ ବୁଡ଼ିଗଲା । ସାଧୁ, ସନ୍ଥ ସବୁ ଶତ୍ରୁ ହୋଇଗଲେ, ହୃଦୟ ମଧ୍ୟରୁ ଐକ୍ୟଭାବ ଅନ୍ତର ହୋଇଗଲା । ଐନ୍ଦ୍ରଜାଲ କ୍ରିୟାରେ ମୃତ୍ୟୁ ଶୀଘ୍ର ହୋଇଯିବ-ଏହା ନିଶ୍ଚିତ ।

 

ଓଷ୍ଠାଗତ ହୋଇଲା ପ୍ରାଣ ମୋହର

ଓଁ କାର ଶବ୍ଦ ନୁହେଁ ହୃହୁଁ ବାହାର ରେ,

ଓଷଣେ ପଡ଼ି ପଚି ଗଲା ହୃଦୟ

ଓଜର କଲେ ନାହିଁ ପାପର କ୍ଷୟ ଯେ ।୮।

 

ଔଷଧ ଦେବ କେହୁ ପାପୀ ରୋଗୀକୁ

ଔଦାସ୍ୟ ନାହିଁ ଯହୁଁ ପାପ ବସ୍ତୁକୁ ଯେ,

ଔଦ୍ଧତ୍ୟଭାବ ମନେ ରହେ ପ୍ରବଳ

ଔତ୍ସୁକ୍ୟ କାହୁଁ ମନେ ପାଇବ ସ୍ଥଳ ଯେ ।୯।

 

କଲି ନାନା ପାତକ ଭୁଲି ଧରମ

କଣ୍ଟକବିଦ୍ଧ ପ୍ରାୟ ହେଲା ମରମ ରେ,

କଳି ନୁହଁଇ ଦୁଃଖ ଯେତେ ପାଇଲି

କଳଙ୍କର ପସରା ମୁଣ୍ଡେ ଧଇଲି ଯେ ।୧୦।

 

ଖଟ ଶେଯାଇ ଦେହ କଲା ଶୟନ

ଖଟିଲେ ପ୍ରାଣ ମନ ପାପ-ଚରଣ ଯେ,

ଖଣ୍ଡ ଖଣ୍ଡ ହୋଇଲା ପାତକୀ ମନ

ଖଣ୍ଡାଘାତେ ଯେସନେ କଦଳୀବନ ଯେ ।୧୧।

 

ଗଞ୍ଜଣା ଦେଲେ ବହୁ ବନ୍ଧୁବାନ୍ଧବ

ଗଡ଼ିଲି ଦାଣ୍ଡେ ଦାଣ୍ଡେ ନ ପାଇ ଠାବ ଯେ,

ଗର୍ଜିଲି ଯହୁଁ ପାପ-ବୋଝ ଚାପିଲା

ଗଣ୍ଠି-ଗଣ୍ଠିରେ ଆତ୍ମା ଦେହ ଭାଙ୍ଗିଲା ଯେ ।୧୨।

 

ଘନ ଘନ ଆତଙ୍କେ ଛାଡ଼ିଲି ରଡ଼ି

ଘଡ଼ି-ଘଡ଼ିକେ ଉଠେ ଘଡ଼ିକେ ପଡ଼ି ଯେ,

ଘର ଥାଉଁ ହୋଇଲି ଘରବିହୀନ

ଘଟିବ ମୋହ କର୍ମେ କେବେ ସୁଦିନ ହେ ।୧୩।

 

 

ଚଞ୍ଚଳ ଚିତ୍ତ ମୋର ସଦା ଭ୍ରମଇ

ଚକିତେ ପାପଜଳେ ସୁଖେ ବୁଡ଼ଇ ଯେ,

ଚହଳ କଲେ ତାକୁ କେହୁ ଧରିବ

ଚପଳା ଦ୍ରୁତ ଗତି କେହୁ ବାରିବ ଯେ ।୧୪।

 

ଛନଛନ ହୃଦୟ ବୋଧ ନ ମାନେ

ଛଦ୍ମବେଶରେ ବୁଲେ ସକଳ ସ୍ଥାନେ ଯେ,

ଛନ୍ଦ କାପଟ୍ୟ ବହୁଅଛି ତା’ଠାରେ

ଛଟକ କରେ ସେହୁ ବହୁ ପ୍ରକାରେ ଯେ ।୧୫।

 

ଭାବାର୍ଥ-(୮-୧୫) ମୋର ପ୍ରାଣ ଓଷ୍ଠାଗ୍ରତ ହେଲାଣି । ହୃଦୟ ମଧ୍ୟରୁ ଓଁକାର ଶବ୍ଦ ବାହାରି ପାରୁନାହିଁ । ରୋଗରେ ପଡ଼ି ହୃଦୟ ପାଚିଗଲାଣି । ପାପକ୍ଷୟ ପାଇଁ ଓଜର (ପ୍ରତିରୋଧ) କଲିନାହିଁ । ପାପୀ ରୋଗୀକୁ କିଏ ଔଷଧ ଦେବ ? ପାପ ସାମଗ୍ରୀ ପ୍ରତି ଅନାସକ୍ତ ଭାବ ଆସୁନାହିଁ-। ତେଣୁ ସର୍ବଦା ମନ ମଧ୍ୟରେ ପ୍ରବଳ ଭାବେ ଔଦ୍ଧତ୍ୟ ଭାବ ଦେଖାଦେଉଛି । ଈଶ୍ଵରଙ୍କ ପ୍ରତି ଔତ୍ସୁକ୍ୟ ଭାବ ଆସୁନାହିଁ । ଧର୍ମକର୍ମ ଭୁଲିଯାଇ ନାନା ପ୍ରକାର ପାପ କାର୍ଯ୍ୟ କଲି । ମର୍ମ ମୋର କଣ୍ଟାରେ ଯେମିତି ବିଦ୍ଧ ହୋଇଗଲା । ସଂସାରରେ ଯେତେ ଦୁଃଖ ପାଇଲି, ତାକୁ କଳନା କରି ହେବ ନାହିଁ । କଳଙ୍କର ପସରା ମୁଣ୍ଡରେ ଧରିଲି । ଖଟରେ ଦେହ ଶୟନ କଲା । ଏଣେ ପାପର ପାଦତଳେ ପ୍ରାଣ, ମନ ଖଟିଲେ । ଖଣ୍ଡାର ଆଘାତରେ କଦଳୀବନ ଖିନ୍‍ଭିନ୍ ହୋଇଗଲା ପରି ପାତକୀ ମନ ମୋର ଖଣ୍ଡ ଖଣ୍ଡ ହୋଇଗଲା । ବନ୍ଧୁ ବାନ୍ଧବ, ଜ୍ଞାତିକୁଟୁମ୍ବ ମୋତେ ଗଞ୍ଜଣା ଦେଲେ । କୌଣସି ସ୍ଥାନରେ ଠାବ ନ ପାଇ ଦାଣ୍ଡରେ ଦାଣ୍ଡରେ ଗଡ଼ିଲି । ଗର୍ଜନ କରିବାରୁ ପାପର ବୋଝ ଚାପି ଦେଲା । ଗଣ୍ଠି ଗଣ୍ଡିରେ ଆତ୍ମା ଦେହକୁ ଭାଙ୍ଗିଦେଲା ।

 

ଘନ ଘନ ଆତଙ୍କରେ ମୁଁ ରଡ଼ି ଛାଡ଼ିଲି । ଘଡ଼ି ଘଡ଼ିକେ ଉଠେ ପୁଣି ଘଡ଼ିକରେ ପଡ଼ିଯାଏ । ଘର ଥାଇ ମଧ୍ୟ ଘର ଛଡ଼ା ହେଲି । ମୁଁ ଜାଣେ ନା । ମୋ କର୍ମରେ କେବେ ସୁଦିନ ଫେରିବ । ମୋର ଚଞ୍ଚଳ ମନ ସର୍ବଦା ଏଣେ ତେଣେ ଭ୍ରମୁଛି । ଚକିତ ହୋଇ ପାପଜଳରେ ସୁଖରେ ବୁଡ଼ିଯାଉଛି । ଚହଳ କଲେ ତାକୁ କିଏ ଧରିବ ? ବିଜୁଳି ପରି ତା’ର ଦ୍ରୁତ ଗତି, ତାକୁ କିଏ ବା ବାରଣ କରିପାରିବ ? ଛନ୍ନ ଛନ୍ନ ହୃଦୟ ମୋର, କୌଣସି ବାଧାକୁ ମାନୁନାହିଁ । ଛଦ୍ମବେଶରେ ସଂସାରର ବିଭିନ୍ନ ସ୍ଥାନରେ ବୁଲୁଛି । ଛନ୍ଦ, କପଟତା ତା’ ଠାରେ ବହୁଛି । ବହୁ ପ୍ରକାରେ ସେ ଛଟକ କାଢୁଛି ।

 

ଜଗତନାଥ ପାଦ ନ ଧରି ପ୍ରାଣ

ଜଳୁଛି ପାପାନଳେ ତଷୁ ସମାନ ଯେ,

ଜଗତବନ୍ଧୁ ଥାଇଁ ବନ୍ଧୁ ବିହୀନ

ଜଳବିହୀନେ ପ୍ରାଣ ତ୍ୟଜେ କି ମୀନ ଯେ ।୧୬।

 

ଝାଡ଼ ସଂସାରେ ଆଉ ରହିବି ନାହିଁ

ଝିଟ ଜୀବନ ଧରି କି ହେବ ଭାଇ ହେ,

ଝୁଣ୍ଟିଲି ବାର ବାର ବଢ଼େ ଯାତନା

ଝଡ଼ି ନ ପଡ଼େ ପ୍ରାଣୁ ଗୁରୁ ବେଦନା ଯେ ।୧୭।

 

ଟଳଇ ମନ ସଦା ପ୍ରଲୋଭନରେ

ଟାଣେ ସଂସାର ପ୍ରାଣ ପାପସୂତ୍ରରେ ଯେ,

ଟପ ଟପ ପଡ଼ଇ ନେତ୍ରାଶ୍ରୁ ବିନ୍ଦୁ

ଟିକିକେ ଉଛୁଳଇ ଶୋକର ସିନ୍ଧୁ ଯେ ।୧୮।

 

ଠୁଳ ଠୁଳ ଦେଖ ଏ ପାପ ମୋହର

ଠିକ କହୁଛି କଥା ଶ୍ରବଣ କର ଯେ,

ଠିଆ ହୋଇଲେ ସୁଦ୍ଧା ପଡ଼ୁଛି ତଳେ

ଠସ ଠସ ବୁଡ଼ିଣ ନୟନଜଳେ ଯେ ।୧୯।

 

(ଉତ୍ତର ଖଣ୍ଡ)

 

ଡଙ୍କା ବାଜୁଛି ଏବେ ଶୁଣ ସୁଜନେ

ଡେଇଁ ଡେଇଁ ବସିବା ବ୍ରହ୍ମଚରଣେ ଯେ,

ଡର ଭାବନା ଏବେ ହେଲା ଅନ୍ତର

ଡୁବି ବ୍ରହ୍ମସାଗରେ ହେବା ଅମର ହେ ।୨୦।

 

ଢାଳେ ଅମୃତଧାରା ହରିଙ୍କ ନାମ

ଢଳଇ ମନପ୍ରାଣ ପୂରଇ କାମ ଯେ,

ଢମ ଦୁଷ୍କୃତି ଯେତେ ହୋଇଲା ଦୂର

ଢଳ ଢଳ ଅଶ୍ରୁରେ ନୟନ ମୋର ଯେ ।୨୧।

 

ତରତର ହୋଇଣ ଚାଲ ହେ ଯିବା

ତୁରିତେ ପ୍ରଭୁପାଦେ ଶରଣ ନେବା ଯେ,

ତନୁ ମନ ଅର୍ପିବା ତାଙ୍କ ପୟରେ

ତାହାଙ୍କ ବିନା ପାପ ତାପ କେ ହରେ ଯେ ।୨୨।

 

ଭାବାର୍ଥ-(୧୬-୨୨) ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପାଦ ତଳେ ଆଶ୍ରୟ ନ ନେବା ଯୋଗୁଁ ତୁଷ ପ୍ରାୟ ପାପାନଳରେ ଏ ପ୍ରାଣ ଜଳୁଛି । ଜଗତବନ୍ଧୁ ଥାଇଁ ମୁଁ ବନ୍ଧୁବିହୀନ । ଜଳବିନା ମାଛର ଅବସ୍ଥା ମୋର ହୋଇଛି । ଏ ସଂସାର (ଝାଡ଼) ବଣରେ ଆଉ ରହିବି ନାହିଁ । ନିଲଠା ଜୀବନ ଧରି ବଞ୍ଚିବାରେ କ’ଣ ଲାଭ ଅଛି ? ସଂସାର ପଥରେ ଚାଲୁଚାଲୁ ବାରମ୍ବାର ଝୁଣ୍ଟି ପଡ଼ିଲି । ସାଂସାରିକ ଯାତନା ବଢ଼ି ଚାଲିଛି । ପ୍ରାଣରୁ ଗୁରୁବେଦନା ଝଡ଼ି ଯାଉନାହିଁ । ଲୋଭରେ ସର୍ବଦା ମନଟା ଟଳି ଯାଉଛି । ପାପ ପ୍ରତି ମନଟା ଟାଣି ହୋଇଯାଉଛି । ଆଖିରୁ ଟପଟପ ହୋଇ ଲୁହ ଝରି ପଡୁଛି । ଅଳ୍ପକରେ ଅନ୍ତର ମଧ୍ୟରୁ ଶୋକର ସିନ୍ଧୁ ଉଛୁଳି ପଡୁଛି । ଦେଖ, ମୋ ଚାରିପାଖରେ ପାପର ଅଳିଆ ଗଦା ସ୍ଥାନେ ସ୍ଥାନେ ରହିଛି । ମୁଁ ଠିକ୍ କହୁଛି, ମୋ କଥା ଶୁଣୁ । ଠିଆ ହେଲେ ତଳେ ପଡ଼ିଯାଉଛି । ଆଖିର ଲୁହରେ, ଥଟ୍ଟା ପରିହାସରେ ବୁଡ଼ି ଯାଉଛି । ହେ ସୁଜନେ ଶୁଣ, ଏବେ ଡଙ୍କା(ଧେଣ୍ଡୁରା) ପଡ଼ୁଛି । ଡେଇଁ ଡେଇଁ ଯାଇଁ ବ୍ରହ୍ମପଦରେ ପହଞ୍ଚିବା । ଭୟର ଭାବନା ଏବେ ଅନ୍ତର ହେଲା, ବ୍ରହ୍ମସାଗରରେ ବୁଡ଼ି ଅମର ହେବା । ହରିଙ୍କ ନାମ ଅମୃତଧାରାରେ ପରିପୂର୍ଣ୍ଣ ହୋଇଛି । ଆମେ ସେଥିରେ ମନକୁ ଢାଳିଦେବା । ତାଙ୍କ ପ୍ରତି ମନ ଢଳି ଯାଉଛି, କାମନା ପୂରିବ । ଢମ(ଅହଙ୍କାର), ଦୁଷ୍କୃତି ଯେତେ ସବୁ ଦୂର ହେବ । ମୋର ଚକ୍ଷୁରେ ଢଳ ଢଳ ଅଶ୍ରୁ । ଆମେ ସଭିଏ ତରତର ହୋଇ ଯିବା । ତୁରନ୍ତ ପ୍ରଭୁଙ୍କ ପାଶରେ ଶରଣ ନେବା । ଦେହ, ମନକୁ ତାଙ୍କ ପାଦରେ ଅର୍ପଣ କରିବା । ତାଙ୍କ ବିନା ପାପ ତାପକୁ କିଏ ହରି ପାରିବ ?

 

ଥୟ କାହୁଁ ଧରିବ ମୋହର ମନ

ଥାପିଲେ ପ୍ରଭୁ ବକ୍ଷେ ଯହୁଁ ଚରଣ ଯେ,

ଥିବି ତା ଦୃଢ଼େ ଧରି ଚିର ଜୀବନ

ଥିଲେ ଯେସନେ ଭକ୍ତେ ନରରତନ ଯେ ।୨୩।

 

ଦୟା ଉଦାର ଭାଇ ପ୍ରକାଶ କର

ଦୁଃଖୀ ମାନବ ଦୁଃଖ ଯତନେ ହର ଯେ,

ଦେଶ ଦୁର୍ଦ୍ଦଶା ଶୀଘ୍ର ଘୁଞ୍ଚିବ ଭାଇ

ଦୟାମୟଙ୍କ ଦୟା ତୁଣ୍ଡରେ ଗାଇ ଯେ ।୨୪।

 

ଧର ହେ ସତ୍ୟବାନା ବେଗେ କେ ଅଛ

ଧାଇଁ ସତ୍ୟ-ସମରେ ନ ହୁଅ ପଛ ହେ,

ଧର୍ମବଳୁଁ ଅଧିକ କାହାର ବଳ

ଧରାଧାମ ହୋଇବ ସ୍ୱରଗସ୍ଥଳ ଯେ ।୨୫।

 

ନଶ୍ୱର ତନୁ ତ୍ୟଜି ହେବା ଅମର

ନ ରହୁ ପାପ ତାପ ଦୁଃଖ ସତ୍ୱର ଗୋ,

 

 

ନିବାଡ଼ ଦୀପ ପ୍ରାୟ ନିଷ୍କମ୍ପ ମନ

ନିଶ୍ଚଳେ ପ୍ରଭୁ ଧ୍ୟାନେ ରହୁ ମଗନ ଗୋ ।୨୬।

 

ପରମପଦ ଲାଭେ ଛାର ସଂସାର

ପରମାନନ୍ଦ ଦେବେ ପ୍ରଭୁ ଅପାର ଗୋ,

ପତିତପାବନ ନାମ କେଡ଼େ ମଧୁର

ପତିତ ତରେ ପାଇ ସୁଖ ପ୍ରଚୁର ଗୋ ।୨୭।

 

ଫଣୀ ମସ୍ତକେ ମଣି ପଙ୍କେ କମଳ

ଫୁଟେ କଣ୍ଟକେ ଫୁଲ ବିଧି କୌଶଳ ଗୋ,

ଫୁଟିବ ପାପ ହୃଦେ ପୁଣ୍ୟ-ନିର୍ଝର

ଫେଡ଼ିବେ ଦୁଃଖରାଶି ଦୟାସାଗର ଗୋ ।୨୮।

 

ଭାବାର୍ଥ-(୨୩-୨୮) ପ୍ରଭୁ ଯେତେବେଳେ ମୋର ବକ୍ଷ ଦେଶରେ ପାଦ ଥାପିଲେ, ସେତେବେଳେ ମୋର ମନ କିପରି ଥୟ ହେବ ? ଯେମିତି ଭକ୍ତମାନେ ନରଶ୍ରେଷ୍ଠ ହୋଇଥିଲେ, ସେମିତି ତାଙ୍କୁ ଦୃଢ଼ରେ ଧରି ଜୀବନ ସାରା ରହିବି । ରେ ଭାଇ, ଦୟା, ଉଦାର ଭାବ ପ୍ରକାଶ କର, ଦୁଃଖୀ ମଣିଷର ଦୁଃଖକୁ ଦୂରକର । ଦୟାମୟଙ୍କ ଦୟା ତୁଣ୍ଡରେ ଗାଇ ତାଙ୍କ ଯଶ ପ୍ରଚାର କର, ଦେଶର ଦୁଃଖ, ଦୁର୍ଦ୍ଦଶା ଶୀଘ୍ର ଘୁଞ୍ଚିଯିବ । ରେ ଭାଇ, କିଏ ଅଛି, ଶୀଘ୍ର ସତ୍ୟବାନାକୁ ଧର । ସତ୍ୟ-ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ପଛଘୁଞ୍ଚା ଦିଅନାହିଁ । ଧର୍ମବଳରେ ତୁମର ଦେହ ବଳ ଅଧିକ ହେବ । ଦେଖିବ, ଦିନେ ଏ ଧରାପୃଷ୍ଠ ସ୍ଵର୍ଗଧାମରେ ପରିଣତ ହୋଇଯିବ । ଏ ନଶ୍ଵର, ଅନିଶ୍ଚିତ ଦେହ ତ୍ୟାଗକରି ଆମେ ଅମର ହେବା । ଏଠାରେ ପାପ, ତାପ ଦୁଃଖ ନ ରହୁ । ପ୍ରଭୁଙ୍କ ଧ୍ୟାନରେ ତୋ ମନ ନିବାଡ଼ (ଦୃଢ଼) ଦୀପ ପ୍ରାୟ ନିଷ୍କମ୍ପ (ସ୍ଥିର) ରହୁ । ନିଶ୍ଚଳ ମନରେ ତୁ ପ୍ରଭୁଙ୍କ ପାଦରେ ମଗ୍ନ ରହ ।

 

ଏ ସଂସାର ଛାର । ପ୍ରଭୁଙ୍କ ପରମପଦ ହିଁ ଶ୍ରେଷ୍ଠ । ପ୍ରଭୁ ପରମାନନ୍ଦ ତୋତେ ଅପାର ସୁଖଶାନ୍ତି ଦେବେ । ପତିତପାବନ ନାମ ଅତ୍ୟନ୍ତ ମଧୁର । ତାଙ୍କୁ ଧ୍ୟାନ କରି ପାପୀ ନିସ୍ତାର ପାଇଥାଏ । ପ୍ରଚୁର ସୁଖ ପାଏ । ସର୍ପର ମସ୍ତକରେ ମଣି, ପଙ୍କରେ ପଦ୍ମ ଓ କଣ୍ଟା ମଧ୍ୟରେ ଫୁଲ ଫୁଟିଥାଏ-ଏ ସବୁ ବିଧାତାର ଖେଳ, କୌଶଳ । ଆମେ ଆଶାବାନ ହେବା, ପାପ ହୃଦୟରେ ପୁଣ୍ୟର ନିଝିର ଫୁଟିବ । ଦୟାସାଗର ପ୍ରଭୁ ନିଶ୍ଚୟ ଦୁଃଖ ରାଶି ଫେଡ଼ିବେ ।

 

ବାରି ବାରିଦ ସିଞ୍ଚେ ଯଥା ଯତନେ

ବର୍ଷିଛି ପ୍ରେମ ଘନ ହୃଦ-ସଦନେ ଗୋ,

ବଢ଼ି ଅଇଲା ଦେଖ ଜୀବନଲୀଳା

ବସି ବୈକୁଣ୍ଠେ ଭଲ ଭକ୍ତି ନିଶ୍ଚଳା ଗୋ ।୨୯।

 

ଭକତି ମୁକ୍ତି କର୍ମ ଯୋଗ ମିଳନ

ଭୁଞ୍ଜ ସାଧନ ସୁଖ ହୋଇ ଯତନ ଗୋ,

ଭବବନ୍ଧନ ହେଲା ହୃଦୁଁ ଅନ୍ତର

ଭୟ ଭାବନା ସର୍ବ ଗଲା ସତ୍ୱର ଗୋ ।୩୦।

 

 

 

ମନର ବୃତ୍ତି ସଖୀ ହୃଦ-ରାଧିକେ

ମିଶି ମିଳନ୍ତି ଆଜ ହରି ଅନ୍ତିକେ ଗୋ,

ମୋହେ ବୃନ୍ଦାବନର ଶୋଭା ଅନ୍ତର

ମଣୁଁ ଅପୂର୍ବ ସୁଖ ଆଜ ଦିନର ଗୋ ।୩୧।

 

ଯମ-ଯନ୍ତ୍ରଣା ଯାଉ ହୁଅ ଅମର

ଯୁବକ ବୃଦ୍ଧ ବାଳ ସୁଖେ ସଞ୍ଚର ଗୋ,

ଯୁଗ-ଯୁଗରେ ହରି-ନାମ କୀର୍ତ୍ତନ

ଯାତନା ଦୁଃଖରାଶି ଅପନୋଦନ ଗୋ ।୩୨।

 

ରୋମାଞ୍ଚ ତନୁ ଆଜି ବ୍ରହ୍ମ ପରଶେ

ରୋଧୁଛି କଣ୍ଠସ୍ୱର ଭାଷା ନ ଆସେ ଗୋ,

ରୂପରାଶି ମୋହନ ହରି ମୋହର

ରଖିବେ ଚିରଦିନ କରି କିଙ୍କର ଗୋ ।୩୩।

 

ଭାବାର୍ଥ-(୨୯-୩୩) ମେଘ ଯେମିତି ଯତ୍ନର ସହିତ ଧରାପୃଷ୍ଠରେ ବାରି ସିଞ୍ଚିଥାଏ ବା ବର୍ଷିଥାଏ, ସେମିତି ଭଗବାନ ହୃଦୟ ସଦନରେ ପ୍ରେମବର୍ଷା କରିଛନ୍ତି । ଦେଖ, ଜୀବନ ଲୀଳା ବଢ଼ି ଆସିଲା । ବୈକୁଣ୍ଠ ଧାମରେ ବସି ନିଶ୍ଚଳା ଭକ୍ତି ଲାଭ କର । ଭକ୍ତି, ମୁକ୍ତି, କର୍ମଯୋଗର ମିଳନ । ତୁମକୁ ପ୍ରାପ୍ତ ହେଉ । ତୁମେ ଆନନ୍ଦର ସହିତ ସାଧନ ସୁଖ ଭୋଗ କର । ଭବବନ୍ଧନ ବା ସାଂସାରିକ ବନ୍ଧନ ଏବେ ହୃଦୟ ମଧ୍ୟରୁ ଦୂର ହୋଇଛି । ଭୟର ଭାବନା ସବୁ ଚାଲିଯାଇଛି । ଆଜି ହରି ଓ ତାଙ୍କ ମନହୃଦୟର ସଖୀ ରାଧିକାଙ୍କ ମିଳନ ଘଟିଛି । ବୃନ୍ଦାବନର ଶୋଭା ଅନ୍ତରକୁ ମୋହୁଛି । ଏହି ଦିନଟିକୁ ଅପୂର୍ବ ସୁଖ ବୋଲି ମନେ କରୁଛୁ ।

 

ଗୋ ସହି, ସଂସାରରୁ ଯମ-ଯନ୍ତ୍ରଣା ଦୂର ହେଉ । ତୁମେ ସବୁ ଅମର ହୁଅ । ସମସ୍ତ ଯୁବକ, ବୃଦ୍ଧ, ବାଳ ସୁଖରେ କାଳାତିପାତ କର । ହରିନାମ କୀର୍ତ୍ତନ ଯୁଗ ଯୁଗରେ ସମସ୍ତ ଦୁଃଖ, ଯାତନାକୁ ଦୂର କରିଥାଏ । ବ୍ରହ୍ମର ସ୍ପର୍ଶରେ ଆଜି ଶରୀର ରୋମାଞ୍ଚ ହୋଇ ଉଠିଛି । କଣ୍ଠସ୍ୱର ଭାଷା ରୋଧି ହୋଇଯାଉଛି । କୌଣସି ଭାଷା ସ୍ଫୁରୁନାହିଁ । ହରି ମୋହର ରୂପରାଶିର ମୋହନ । ସେ ଚିରଦିନ କିଙ୍କର କରି ରଖିବେ ।

 

ଲାଗିଛି ଲୀଳା ଦେଖ ବ୍ରହ୍ମଧାମରେ

ଲଭିବ ଦିବ୍ୟସୁଖ ସାଧୁ ସଙ୍ଗରେ ଗୋ,

ଲୂନ ଲାଳସା ସର୍ବ ହେବ ଦହନ

ଲଭିବା କୃପାବଳେ ଦିବ୍ୟଲୋଚନ ଗୋ ।୩୪।

 

ଶବ୍ଦ ଶୁଭୁଛି ଆହା ଶ୍ରୁତି-ମଧୁର

ଶ୍ରବଣେ ହରି-ନାମ ଦୁର୍ବଳ ଶୂର ଗୋ,

ଶୋଭା ସମ୍ପଦ ତାଙ୍କ ବଳଇ ଗିର

ଶ୍ରବୁଛି ଘନ ଘନ ନୟନୁ ନୀର ଗୋ ।୩୫।

 

ଷୋଡ଼ଶ ଅଙ୍ଗେ ପୂଜା କରି ସାଧନ

ଷଡ଼ଙ୍ଗ ସାଧି ହେବ କି ପ୍ରୟୋଜନ ଗୋ,

ଷଡ଼ଧା ଭକ୍ତି ଯୋଗୁଁ ହେବ ସୁଫଳ

ଷଡ଼ବର୍ଗ ଦମନେ ଚିର ନିର୍ମଳ ଗୋ ।୩୬।

 

ସକଳ ଦୁଃଖ ହର ଦୀନଶରଣ

ସଦୟ ହୁଅ ପ୍ରଭୋ ଦିଅ ଚରଣ ହେ,

ସଦା କିଙ୍କର ମୁହିଁ ସେବକ ଦାସ

ସଦା ରଖିଛି ତୁମ୍ଭ କୃପାରେ ଆଶ ହେ ।୩୭।

 

ହର ଜଗତ ପାପ ଭକ୍ତବତ୍ସଳ

ହରଷେ ଜଗଜ୍ଜନ ହରନ୍ତୁ କାଳ ଗୋ,

ହେଉ ଅମରଧାମ ଭବ-ଭବନ

ହରିଙ୍କ ନାମଗୁଣେ ସର୍ବ ସାଧନ ଗୋ ।୩୮।

 

ଭାବାର୍ଥ-(୩୪-୩୮) ଗୋ ସହି, ଦେଖ, ବ୍ରହ୍ମଧାମରେ ଅଲୌକିକ ଲୀଳା ଲାଗିଛି । ସାଧୁସଙ୍ଗରେ ମିଶ, ଦିବ୍ୟସୁଖ ପାଇବ । ଲୂନ (ଛିନ୍ନ) ଲାଳସା ସବୁ ପୋଡ଼ିଯିବ । ତାଙ୍କର କୃପାବଳରେ ଦିବ୍ୟଲୋଚନକୁ ପାଇବା । ଶ୍ରୁତିମଧୁର ଶବ୍ଦ ଶୁଭୁଛି । ମନକୁ ମୁଗ୍‍ଧ କରୁଛି । ହରିନାମ ଶ୍ରବଣରେ ଦୁର୍ବଳ ଲୋକ ମଧ୍ୟ ବୀର ରୂପେ ଗଣା ହେବ । ତାଙ୍କର ଶୋଭା ସମ୍ପଦର ପଟାନ୍ତର ନାହିଁ । ନୟନ ଯୁଗଳରୁ ତାଙ୍କର ଘନ ଘନ ଲୁହ ବହୁଛି ।

 

ଗୋ ସହ, ଷୋଡ଼ଶ ଅଙ୍ଗରେ ପୂଜା କରି ଷଡ଼ଙ୍ଗରେ ସାଧନା କଲେ କ’ଣ ବା ପ୍ରୟୋଜନ ଅଛି ? ଷଡ଼ଧା ଭକ୍ତିରେ ଏହା ସୁଫଳ ଲାଭ କରିବ । ଷଡବର୍ଗ ଦମନ ପାଇଁ ଚିତ୍ତକୁ ସର୍ବଦା ନିର୍ମଳ କର । ହେ ଦୀନଶରଣ, ସକଳ ଦୁଃଖକୁ ହରଣ କର । ପ୍ରଭୁ, ସଦୟ ହୁଅ, ତୁମ ଚରଣ ତଳେ ଆଶ୍ରୟ ପ୍ରଦାନ କର । ମୁଁ ତୁମର କିଙ୍କର, ସେବକ, ଦାସ । ତୁମର କୃପା ପାଇବା ପାଇଁ ଆଶା କରିଛି । ହେ ଭକ୍ତବତ୍ସଳ, ଜଗତର ପାପକୁ ବିନାଶ କର । ଆନନ୍ଦ ମନରେ ଜଗତବାସୀ କାଳ କାଟନ୍ତୁ । ଏ ସଂସାରଟା ଅମର ଧାମ ହେଉ । ହରିଙ୍କ ନାମଗୁଣରେ ସବୁ କିଛି ସମ୍ଭବ ହୋଇପାରିବ ।

***